ପାଣ୍ଡିଆନ ହଟାଅ ବିଜେଡି ବଞ୍ଚାଅ

କୁହାଯାଉଛି ଯେଉଁ ବ୍ୟକ୍ତିଙ୍କ ବିନା ଅନୁମତିରେ ବିଜେଡିରେ ପତ୍ର ହଲୁ ନଥିଲା, ଯେଉଁ ବ୍ୟକ୍ତିଙ୍କ ବିନା ଅନୁମତିରେ ବିଜେଡିରେ ନେତା ନବୀନ ନିବାସରେ ପଶି ପାରୁ ନଥିଲେ କି ନବୀନଙ୍କୁ ଭେଟି ପାରୁନଥିଲେ ଆଜି ସେମାନେ ନବୀନ ନିବାସରେ ନବୀନଙ୍କୁ ସାମ୍ନା କରୁଛନ୍ତି ଆଉ ପ୍ରଶ୍ନ କରୁଛନ୍ତି । ଯେଉଁ ବିଜେଡି କର୍ମୀ ଦିନେ ପାଣ୍ଡିଆନଙ୍କ ବିରୋଧରେ କହିବାକୁ ଡରୁଥିଲେ ଆଜି ସେମାନେ ପାଣ୍ଡିଆନ ହଟାଅ ବିଜେଡି ବଞ୍ଚାଅର ନାରା ଦେଉଛନ୍ତି । ତେବେ ଏହି ଘଟଣା ପରେ ଏବେ ପ୍ରଶ୍ନ ଉଠୁଛି ସତରେ କଣ ଏବେ ବି ପାଣ୍ଡିଆନ ବିଜେଡିରେ ସକ୍ରିୟ ଅଛନ୍ତି? ବିଜେଡି ଦୁଇ ଫାଳ ହେବାରେ ତାଙ୍କର ଭୂମିକା ରହିଛି?

ଓ୍ୱାକଫ ବିଲକୁ ନେଇ ଦୁଇ ଫାଳ ହୋଇଯାଇଛି ବିଜେଡି । ବିଜେଡି ଦଳ ଭିତରେ ଏବେ ଦେଖିବାକୁ ମିଳିଛି କନ୍ଦଳ । ଗୋଟିଏ ପରେ ଗୋଟିଏ ନେତା ସାମ୍ନାକୁ ଆସୁଛନ୍ତି ଆଉ ପାଣ୍ଡିଆନଙ୍କ ପୋଲ୍ ଖୋଲୁଛନ୍ତି । ସେହିପରି ଅନ୍ୟ କିଛି ନେତା ବି ସାମ୍ନାକୁ ଆସି ପାଣ୍ଡିଆନଙ୍କୁ ସମର୍ଥନ ଦେଉଛନ୍ତି । ତେବେ ଏଥିରୁ ସ୍ପଷ୍ଟ ବାରି ହୋଇପଡ଼ୁଛି କି ବିଜେଡିରେ ଏବେ କିଛି ଠିକ ଚାଲିନି । ବିଜେଡି ଭିତରେ ନେତା ଅସନ୍ତୋଷ ଦେଇ ଗତି କରୁଛନ୍ତି । ତେବେ ଏହାର କାରଣ କଣ? ଏତେ ପରେ ବି କାହିଁକି ସାମ୍ନାକୁ ଆସୁ ନାହାନ୍ତି ନବୀନ? ଓ୍ୱାକଫ ବିଲ, କିମ୍ୱା ଦଳରେ ପାଣ୍ଡିଆନଙ୍କ ସକ୍ରିୟତା ବିଷୟରେ ମୁହଁ ବି ଖୋଲୁ ନାହାନ୍ତି । ନବୀନଙ୍କ ଏହି ନୀରବତା ବିଜେଡିର ଭବିଷ୍ୟତକୁ ଅନ୍ଧାର ଆଡ଼କୁ ଟାଣି ନେଉଛି ।

ପ୍ରଥମେ ଦେବାଶିଷ ସାମନ୍ତରାୟ ଆଉ ଏବେ ସମ୍ୱିତ ରାଉତରାୟ ଓ ପଦ୍ମନାଭ ବେହେରା ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି । ଦେବାଶିଷ ସାମନ୍ତରାୟ ସିଧାସଳଖ ଟାର୍ଗେଟ କରି କହିଥିଲେ କି ଦଳ ଭିତରେ ଯାହା ବି ଚାଲିଛି ସେଥିରେ ପାଣ୍ଡିଆନଙ୍କ ଷଡ଼ଯନ୍ତ୍ର ରହିଛି । ଏହାପରେ ମାନସ ମଙ୍ଗରାଜ, ନିରଞ୍ଜନ ବିଶି ଓ ସୁଲତା ଦେଓଙ୍କ ଭଳି ନେତା ପାଣ୍ଡିଆନଙ୍କ ସମର୍ଥନରେ ବାହାରି ଦେବାଶିଷ ସାମନ୍ତରାୟଙ୍କୁ ବିରୋଧ କରିଥିଲେ । ଦେବାଶିଷଙ୍କ ପରେ ମୁହଁ ଖୋଲିଛନ୍ତି ସମ୍ବିତ ରାଉତରାୟ । ସିଧାସଳଖ ନହେଲେ ବି ପରୋକ୍ଷରେ ଢୋଲ ଭିତରେ ମୂଷା କହି ଦଳ ଭିତରେ ଚାଲିଥିବା ଚର୍ଚ୍ଚାକୁ ଆହୁରି ବଢ଼ାଇ ଦେଇଛନ୍ତି । ସେହିପରି ପଦ୍ମନାଭ ବେହେରା କହିଛନ୍ତି, ଯାହା ବି ହେଉଛି ଦଳ ପାଇଁ କ୍ଷତିକାରକ । ଏଥିରେ ଦଳର ସୁପ୍ରିମୋ ଯବନିକା ପକାଇବା ଦରକାର ।

Leave a Reply

Your email address will not be published. Required fields are marked *