ନନ୍ଦିଘୋଷ ରଥ ଶରଧାବାଲିରେ ପହଞ୍ଚିଛି । ପୂର୍ବରୁ ତାଳଧ୍ୱଜ ଓ ଦର୍ପଦଳନ ରଥ ମଧ୍ୟ ପହଞ୍ଚିସାରିଛି। ଗତକାଲି ରଥଟଣାରେ ବିଳମ୍ବ ହୋଇଥିଲା । ଯାହାଫଳରେ ତିନି ରଥ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ପହଞ୍ଚି ପାରିନଥିଲା। ବଳଭଦ୍ରଙ୍କ ରଥ (ତାଳଧ୍ୱଜ) ମୋଡ଼ ନେବାରେ ସମୟ ଲାଗିଥିଲା । ଅଧିକ ଭକ୍ତଙ୍କ ସମାଗମ ଯୋଗୁଁ ନନ୍ଦିଘୋଷ ରଥ ସିଂହଦ୍ୱାର ସମ୍ମୁଖରେ ଅଟକି ରହିଥିଲା। ସଂଧ୍ୟା ୭:୪୫ରେ ନନ୍ଦିଘୋଷ ଅଳ୍ପ ଗଡ଼ିଥିଲା । କିନ୍ତୁ ବିଧି ଅନୁଯାୟୀ ରଥଟଣା ବନ୍ଦ କରାଯାଇଥିଲା। ଆଜି ସକାଳ ୯:୩୦ରୁ ରଥଟଣା ପୁଣି ହୋଇଥିଲା । ତିନି ରଥ ଶରଧାବାଲିରେ ପହଞ୍ଚିଛି । ଯେଉଁଠାରେ ଭକ୍ତମାନେ ଦର୍ଶନ ପାଇଁ ଏକତ୍ରିତ ହୋଇଛନ୍ତି।
ଆଜି ସକାଳୁ ଘଣ୍ଟ, ହୁଳହୁଳି ଓ ହରିବୋଲ ଶବ୍ଦରେ ଲକ୍ଷାଧିକ ଶ୍ରଦ୍ଧାଳୁ ରଥକୁ ଟାଣି ଟାଣି ମାଉସୀ ମା ମନ୍ଦିର ଯାଏଁ ନେଇଯାଇଥିଲେ | ସେହିପରି ଗୁଣ୍ଡିଚା ମନ୍ଦିର ଆଗରେ ପୂର୍ବରୁ ତାଳଧ୍ୱଜ ରଥ ଲାଗିସାରିଥିବାବେଳେ ଘଣ୍ଟ, ହୁଳହୁଳି ଓ ହରିବୋଲ ଶବ୍ଦରେ ପ୍ରକମ୍ପିତ ହେଉଛି ବଡଦାଣ୍ଡ | ଗତକାଲି ବଳଭଦ୍ରଙ୍କ ତାଳଧ୍ବଜ ରଥ ଗଡ଼ିବା ଆରମ୍ଭରୁ ଭୀଷଣ ସମସ୍ୟା ଦେଖାଦେଇଥିଲା। ଗତକାଲି ବଳଭଦ୍ରଙ୍କ ତାଳଧ୍ବଜ ରଥ ବାରମ୍ବାର ମୋଡ଼ ନେଇଥିଲା। ବାରମ୍ବାର ଫାଳି ଲାଗିଥିଲା। ରଥ ମରିଚିକୋଟ ଛକ ଅତିକ୍ରମ କରିବା ବେଳକୁ ଅଢ଼େଇ ଘଣ୍ଟା ବିତିଯାଇଥିଲା। ସେହିପରି ସୁଭଦ୍ରାଙ୍କ ଦର୍ପଦଳନ ରଥ ଟାଣିବା ନିଷ୍ପତ୍ତି ବେଳକୁ ସେତେବେଳକୁ ଭିଡ଼ ନିୟନ୍ତ୍ରଣ କରିବା ମୁସ୍କିଲ ହୋଇପଡ଼ିଥିଲା । ଏହାକୁ ନେଇ ବିତର୍କ ଆରମ୍ଭ ହୋଇଛି । ଅନେକ ବୁଦ୍ଧିଜୀବୀ ପ୍ରଶାସନ, ସରକାରଙ୍କୁ ଦୋଷ ଦେଉଛନ୍ତି ।