ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ଆଇପିଏଲ୍‌ରେ ପ୍ରଥମ ବିଜୟ ହାସଲ କରିଛି

ପାଞ୍ଚ ଥର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ଆଇପିଏଲ୍‌ରେ ପ୍ରଥମ ବିଜୟ ହାସଲ କରିଛି।  ଗତଥର ବିଜେତା କୋଲକାତା ନାଇଟ୍ ରାଇଡର୍ସକୁ ୮ ୱିକେଟ୍‌ରେ ହରାଇ ପଏଣ୍ଟ୍‌ ଖାତା ଖୋଲିବା ସହ ଶେଷ ସ୍ଥାନରେ ରହିବାର ଅପଯଶ ଦୂର କରିଛି। କୋଲକାତା ସୋମବାର ମାତ୍ର ୧୧୭ ରନ୍‌ର ଲକ୍ଷ୍ୟ ଦେଇଥିଲା। ମୁମ୍ବାଇ ଏହାକୁ ସହଜରେ ହାସଲ କରି ପ୍ରଥମ ବିଜୟ ହାସଲ କରିବା ସହ ନିଜ ରନ୍ ରେଟ୍‌କୁ ମଧ୍ୟ ଯଥେଷ୍ଟ ବଢ଼ାଇଥିଲା। ପ୍ରଥମ ଦୁଇ ବାହାର ମ୍ୟାଚ୍‌ ହାରିବା ପରେ ଘରୋଇ ପରିବେଶରେ ନୂଆ ରଣନୀତି ଆପଣାଇ ମୁମ୍ବାଇ ଫାଇଦାରେ ରହିଥିଲା। ଇମ୍ପାକ୍ଟ ପ୍ଲେୟର୍‌ ଭାବେ ଖେଳିଥିବା ପୂର୍ବତନ ଅଧିନାୟକ ରୋହିତ ଶର୍ମା (୧୩)ଅବଶ୍ୟ ଲଗାତାର ତୃତୀୟ ମ୍ୟାଚ୍‌ରେ ବିଫଳ ହୋଇଥିଲେ। ଅନ୍ୟତମ ଓପନର୍ ରିୟାନ ରିକେଲ୍‌ଟନ୍ କିନ୍ତୁ ତାଙ୍କୁ ମିଳି ଆସୁଥିବା ସୁଯୋଗର ପୂରା ସମ୍ମାନ ରଖିଥିଲେ। ଦର୍ଶନୀୟ ଅର୍ଦ୍ଧଶତକ ହାସଲ କରି ମୁମ୍ବାଇ ପଶ୍ଚାତଧାବନର ସଫଳ ନାୟକ ପାଲଟିଥିବା‌ ରିକେଲଟନ୍ ୪୧ ବଲ୍‌ରୁ ୬୨ ରନ୍‌ର ଅପରାଜିତ ପାଳି ଖେଳିଥିଲେ। ଫଳରେ ମୁମ୍ବାଇ ୭.୧ ଓଭର ପୂର୍ବରୁ କେବଳ ୨ ୱିକେଟ୍ ହରାଇ ପ୍ରତୀକ୍ଷିତ ବିଜୟ ପାଇଥିଲା। ତୃତୀୟ ମ୍ୟାଚ୍‌ରୁ ପ୍ରଥମ ବିଜୟ ପାଇଥିବା ମୁମ୍ବାଇ ତା’ ସହିତ ସବାଶେଷ ଦଶମ ସ୍ଥାନରୁ ଷଷ୍ଠ ସ୍ଥାନକୁ ଲମ୍ଫ ମାରିଥିଲା। ଅନ୍ୟପକ୍ଷରେ କୋଲକାତା ସେହି ତୃତୀୟ ମ୍ୟାଚ୍‌ରୁ ଦ୍ବିତୀୟ ପରାଜୟ ବରଣ କରି ଷଷ୍ଠରୁ ସବାତଳ ସ୍ଥାନକୁ ଖସି ପଡ଼ିଥିଲା।

ନାଚ ଗୀତର ଧୁମ୍ ଧାମ୍ ଭିତରେ ୱାଙ୍ଖଡ଼େ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଚଳିତ ଋତୁର ଏହି ପ୍ରଥମ ମୁକାବିଲାରେ ସୋମବାର ମୁମ୍ବାଇ ଟସ୍ ଜିତି କୋଲକାତାକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଏହି ନିଷ୍ପତ୍ତି ମୁମ୍ବାଇ ପାଇଁ ଶେଷରେ ମାଷ୍ଟରଷ୍ଟ୍ରୋକ୍ ସାବ୍ୟସ୍ତ ହୋଇଥିଲା। ଟ୍ରେଣ୍ଟ୍‌ ବୋଲ୍‌ଟ ଓ ଦୀପକ ଚହର ଦୁଇ ପ୍ରତିପକ୍ଷ ଓପନର୍‌ ସୁନୀଲ ନାରାୟଣ (୦) ଓ କ୍ବିଣ୍ଟନ୍ ଡି’କକ୍‌ (୧)ଙ୍କ ୱିକେଟ୍ ବାଣ୍ଟିନେଇ ଦୁଇ ଓଭର ଭିତରେ କୋଲକାତାକୁ ଦୁଇଟି ଜବରଦସ୍ତ ଝଟ୍‌କା ଦେଇଥିଲେ। ଏହାପରେ ପଦାର୍ପଣକାରୀ ବାମହାତୀ ଦ୍ରୁତ ବୋଲର ଅଶ୍ବିନୀ କୁମାର (୪/୨୪) ନିଜ ସୁଇଂ ବୋଲିଂରେ କୋଲକାତା ମଧ୍ୟକ୍ରମକୁ ଧ୍ବସ୍ତ ବିଧ୍ବସ୍ତ କରି ଦେଇଥିଲେ। ପାୱାର ପ୍ଲେ’ ଭିତରେ ୪ ୱିକେଟ୍ ହରାଇ ସଂଘର୍ଷ କରିଥିବା କୋଲକାତାର ଦୁଃଖ ସେହିଠାରେ ଅଟକି ନଥିଲା।

ଏକାଦଶ ଓଭରରେ ରିଙ୍କୁ ସିଂହ ଓ ମନୀଷ ପାଣ୍ଡେଙ୍କୁ ହରାଇଥିବା କୋଲକାତା ୧୬.୨ ଓଭରରେ ମାତ୍ର ୧୧୭ ରନ୍‌ରେ ଅଲଆଉଟ୍ ହୋଇଯାଇଥିଲା। ଏହି ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍ ଲାଗି ଏକାଥରକେ ପାଞ୍ଚଟି ପରିବର୍ତ୍ତନ କରିବା କୋଲକାତା ପାଇଁ ଅତ୍ୟନ୍ତ ଘାତକ ସାବ୍ୟସ୍ତ ହୋଇଥିଲା। ଦୁଇ ଇମ୍ପାକ୍ଟ ପ୍ଲେୟର ଅଙ୍ଗକ୍ରିସ୍ ରଘୁବଂଶୀ ସର୍ବାଧିକ ୨୬ ରନ୍ କରିଥିଲା ବେଳେ ଶେଷ ବ୍ୟାଟର୍ ଭାବେ ଆଉଟ୍ ହୋଇଥିବା ରମଣଦୀପ ସିଂହ ୨୨ ରନ୍ କରିଥିଲେ। ଶାଣିତ ବୋଲିଂ କରି ମୁମ୍ବାଇର ଚାରି ଦ୍ରୁତ ବୋଲର ଟ୍ରେଣ୍ଟ  ବୋଲ୍ଟ, ଦୀପକ ଚହର, ଅଶ୍ବିନ କୁମାର ଓ ହାର୍ଦିକ ପାଣ୍ଡ୍ୟା ମିଳିତ ଭାବେ କୋଲକାତାର ୮ ୱିକେଟ୍ ନେବା ଉଲ୍ଲେଖନୀୟ ହୋଇଥିଲା। ଅଶ୍ବିନୀ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

 

Leave a Reply

Your email address will not be published. Required fields are marked *