ଲକ୍ଷ୍ନୌ ସୁପରଜାୟାଣ୍ଟସକୁ ୫୪ ରନରେ ହରାଇଲା ମୁମ୍ବାଇ ଇଣ୍ଡିଆନ୍ସ । ମୁମ୍ବାଇର ଓ୍ବାଙ୍ଖଡ଼େ ଷ୍ଟାଡିୟମଠାରେ ୪୫ତମ ମ୍ୟାଚରେ ଲକ୍ଷ୍ନୌ ସୁପରଜାୟାଣ୍ଟସକୁ ୫୪ ରନରେ ହରାଇଦେଇଛି ମୁମ୍ବାଇ । ମୁମ୍ବାଇ ୨୧୬ ରନର ଲକ୍ଷ୍ୟ ଦେଇଥିଲା । ଜବାବରେ ଲକ୍ଷ୍ନୌ ୧୬୧ ରନ କରି ଅଲଆଉଟ ହୋଇଯାଇଥିଲା ।
ଦଳ ପକ୍ଷରୁ ମିଚେଲ ମାର୍ସ ୩୪ ରନ କରିଥିବାବେଳେ ଆୟୁଷ ବାଦୋନି ୩୫ ରନ କରିଥିଲେ । ନିକୋଲାସ ପୁରନ ୨୭ ରନ କରିଥିବାବେଳେ ଡେଭିଡ ମିଲର ୨୪ ରନ କରିଥିଲେ ।
ମୁମ୍ବାଇ ପକ୍ଷରୁ ଯଶପ୍ରୀତ ବୁମରା ୪ଟି ଓ ଟ୍ରେଣ୍ଟ ବୋଲଟ ୩ଟି ଓ୍ବିକେଟ ନେଇଥିଲେ । ଏହି ମ୍ୟାଚରେ ଲକ୍ଷ୍ନୌ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇର ଦୁଇ ଓପନର ରୋହିତ ଶର୍ମା ଓ ରିୟାନ ରିକଲଟନ ବିସ୍ଫୋରକ ବ୍ୟାଟିଂ କରି ଏକ ଭଲ ମୂଳଦୂଆ ପକାଇଥିଲେ ।
ମାତ୍ର ରୋହିତ ୨ଟି ଛକା ମାରିବା ପରେ ୧୨ ରନ କରି ଆଉଟ ହୋଇଥିଲେ । ତେବେ ରିକଲଟନ ଲଢୁଆ ବ୍ୟାଟିଂ ଜାରି ରଖି ୫୮ ରନ କରିଥିଲେ ।
ମଧ୍ୟକ୍ରମ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରୁ ଓ୍ବିଲ ଜାକ୍ସ ୨୯ ରନ କରିଥିବାବେଳେ ସୂର୍ଯ୍ୟକୁମାର ଯାଦବ ୫୪ ରନ କରିଥିଲେ । ନମନ ଧୀର ଅପରାଜିତ ୨୫ ରନ କରିଥିବାବେଳେ କର୍ବିନ ବୋସ୍ ୨୦ ରନ କରିଥିଲେ ।
ଲକ୍ଷ୍ନୌ ପକ୍ଷରୁ ମୟଙ୍କ ଯାଦବ ଓ ଅଭେସ ଖାଁ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ସେହିପରି ପ୍ରିନ୍ସ ଯାଦବ, ଦିଗଭେସ ସିଂ ରାଠି ଓ ରବି ବିଷ୍ଣୋଇ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।