ସାରା ଦେଶରେ ସଲମାନଙ୍କ ଘଣ୍ଟା ଚର୍ଚ୍ଚାର ବିଷୟ ପାଲଟିଛି

ଇଦ୍ ଅବସରରେ ବଲିଉଡ଼ ଅଭିନେତା ସଲମାନ ଖାନ ତାଙ୍କ ନୂଆ ଫିଲ୍ମ ‘ସିକନ୍ଦର’କୁ ନେଇ ଚର୍ଚ୍ଚାରେ। ଚଳଚ୍ଚିତ୍ର ମୁକ୍ତିଲାଭ ସହିତ ସଲମାନ ଖାନ ପୁଣି ଥରେ ବିବାଦରେ ଫସିଛନ୍ତି। ଏଥର ବିବାଦର କାରଣ ସାଜିଛି ସଲମାନଙ୍କ ହାତର ଘଣ୍ଟା। ସାରା ଦେଶରେ ସଲମାନଙ୍କ ଘଣ୍ଟା ଚର୍ଚ୍ଚାର ବିଷୟ ପାଲଟିଛି। କେବଳ ଏତିକି ନୁହେଁ ଭୋପାଳରୁ ବିଜେପି ବିଧାୟକ ରାମେଶ୍ୱର ଶର୍ମା ମଧ୍ୟ ଏହା ଉପରେ କଡ଼ା ମନ୍ତବ୍ୟ ଦେଇଛନ୍ତି। ଆଉ ଏହି ଘଣ୍ଟା ପାଇଁ ସଲମାନ ଖାନଙ୍କୁ ଏବେ ହିନ୍ଦୁ ଧର୍ମ ଗ୍ରହଣ କରିବାକୁ ମଧ୍ୟ ନିମନ୍ତ୍ରଣ ମିଳିଛି।

ଅଭିନେତା ସଲମାନ ଖାନ ପ୍ରତ୍ୟେକ ଥର ତାଙ୍କ ଚଳଚ୍ଚିତ୍ର ମୁକ୍ତିଲାଭ ସମୟରେ କିଛି ନା କିଛି କାରଣରୁ ଚର୍ଚ୍ଚାରେ ରହିଥା’ନ୍ତି। ନିକଟରେ ତାଙ୍କ ହାତରେ ବନ୍ଧା ହୋଇଥିବା ଅଯୋଧ୍ୟା ସହ ଜଡ଼ିତ ଘଣ୍ଟା ଏବେ ଚର୍ଚ୍ଚାର ପ୍ରସଙ୍ଗ ପାଲିଟିଛି। ତାଙ୍କ ହାତରେ ପିନ୍ଧିଥିବା ଘଣ୍ଟାରେ ରାମ ମନ୍ଦିର ଚିତ୍ରିତ ହୋଇଛି। ଏହାପରେ ଲୋକେ ସାମାଜିକ ଗଣମାଧ୍ୟମରେ ନିଜ ନିଜର ମତାମତ ଲେଖୁଛନ୍ତି। ଇତି ମଧ୍ୟରେ ମଧ୍ୟପ୍ରଦେଶ ଇନ୍ଦୋରର ମହାମଣ୍ଡଳେଶ୍ଵର ଶ୍ରୀ ରାମ ଗୋପାଳ ଦାସ ଜୀ ମହାରାଜ ସଲମାନଙ୍କୁ ହିନ୍ଦୁ ଧର୍ମ ଗ୍ରହଣ କରିବାକୁ ନିମନ୍ତ୍ରଣ ଦେଇଛନ୍ତି। ମହାମଣ୍ଡଳେଶ୍ଵର କହିଛନ୍ତି ଯେ, ଯଦି ସେ ହିନ୍ଦୁ ଧର୍ମ ଗ୍ରହଣ କରନ୍ତି ତେବେ ରାଜୱାଡ଼ାରେ ତାଙ୍କ ସମ୍ମାନାର୍ଥେ ଏକ ଭବ୍ୟ କାର୍ଯ୍ୟକ୍ରମ ଆୟୋଜିତ ହେବ। ଏଠାରେ ସୂଚନାଯୋଗ୍ୟ, ସଲମାନ ଖାନଙ୍କ ଜନ୍ମ ଇନ୍ଦୋରରେ ହୋଇଛି। ତେଣୁ ଇନ୍ଦୋର ସହିତ ତାଙ୍କର ଗଭୀର ସମ୍ପର୍କ ଅଛି।

ଗଣମାଧ୍ୟମ ସହ ଆଲୋଚନା ସମୟରେ ମହାମଣ୍ଡଳେଶ୍ୱର ରାମ ଗୋପାଳ ଦାସ କହିଛନ୍ତି ଯେ, ସଲମାନ ଖାନ ଇନ୍ଦୋରର। ଯଦି ସେ ହିନ୍ଦୁ ଧର୍ମ ଗ୍ରହଣ କରନ୍ତି ତେବେ ତାଙ୍କୁ ରାଜୱାଡାଠାରେ ଶ୍ରୀ ରାମଚନ୍ଦ୍ର ଜୀଙ୍କ ଫଟୋ ସାମ୍ନାରେ ସ୍ୱାଗତ କରାଯିବ। ତାଙ୍କ ନେତୃତ୍ୱରେ ଏକ ବଡ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହେବ। ଆପଣ ଆସନ୍ତୁ, ହିନ୍ଦୁ ଧର୍ମ ଗ୍ରହଣ କରନ୍ତୁ, ସନାତନୀ ହୁଅନ୍ତୁ। ଏବେ ତ ହାତରେ ଘଣ୍ଟା ପିନ୍ଧିଛ, ଆମେ ଗଳାରେ ରାମ ନାମ ଉତ୍ତରୀୟ ମଧ୍ୟ ପକାଇାଦେବୁ।

ଅପରପକ୍ଷେ ଏହି ଘଣ୍ଟା ଯୋଗୁଁଁ ସଲମାନ ଖାନଙ୍କୁ ଅଲ ଇଣ୍ଡିଆ ମୁସଲିମ ଜମାତ ସମାଲୋଚନା କରିଛି। ରାମ ମନ୍ଦିର ଚିତ୍ର ଥିବା ଘଣ୍ଟା ପିନ୍ଧିଥିବାରୁ ଅଲ ଇଣ୍ଡିଆ ମୁସଲିମ ଜମାତର ରାଷ୍ଟ୍ରୀୟ ଅଧ୍ୟକ୍ଷ ମୌଲାନା ଶହାବୁଦ୍ଦିନ ରଜଭୀ ସଲମାନଙ୍କୁ ଅପରାଧୀ ବୋଲି କହିଛନ୍ତି। ସୂଚନାଯୋଗ୍ୟ, ସଲମାନଙ୍କ ଏହି ଘଣ୍ଟା ଖୁବ୍‌ ମହଙ୍ଗା, ଯାହାର ମୂଲ୍ୟ ପ୍ରାୟ ୩୪ ଲକ୍ଷ ଟଙ୍କା। ଏହି ଘଣ୍ଟା ସାରା ବିଶ୍ୱରେ କେବଳ ୪୯ଟି ଅଛି।

 

Leave a Reply

Your email address will not be published. Required fields are marked *