ବାଂଲାଦେଶର ଦିନାଜପୁର ଜିଲ୍ଲାରେ ଜଣେ ବିଶିଷ୍ଟ ହିନ୍ଦୁ ନେତାଙ୍କୁ ତାଙ୍କ ଘରୁ ଅପହରଣ କରି ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଭବେଶଙ୍କ ପତ୍ନୀ ଶାନ୍ତ୍ବନା ରାୟ କହିଛନ୍ତି ଯେ ସେ ଅପରାହ୍ଣ ପ୍ରାୟ ସାଢ଼େ ୪ଟା ବେଳେ ଘରେ ଥିବା ବେଳେ ତାଙ୍କୁ ଏକ ଫୋନ୍ କଲ୍ ଆସିଥିଲା, ଯାହାକୁ ଅପରାଧୀମାନେ ଘରେ ତାଙ୍କ ଉପସ୍ଥିତି ନିଶ୍ଚିତ କରିବା ପାଇଁ କରିଥିଲେ। ପ୍ରାୟ ଅଧଘଣ୍ଟା ପରେ ୪ ଜଣ ଯୁବକ ବାଇକ୍ରେ ଆସି ଭବେଶଙ୍କୁ ଘରୁ ଅପହରଣ କରି ନେଇଥିଲେ। ତାଙ୍କୁ ନରବାରି ଗାଁକୁ ନିଆଯାଇଥିଲା, ଯେଉଁଠାରେ ତାଙ୍କୁ ଅତି ନିର୍ମମ ଭାବେ ପିଟି ପିଟି ହତ୍ୟା କରାଯାଇଥିଲା।ପୁଲିସ ଓ ପରିବାର ଲୋକଙ୍କ କହିବା ଅନୁଯାୟୀ, ଢାକାଠାରୁ ପ୍ରାୟ ୩୩୦ କିଲୋମିଟର ଉତ୍ତର-ପଶ୍ଚିମରେ ଅବସ୍ଥିତ ଦିନାଜପୁରର ବାସୁଦେବପୁର ଗ୍ରାମର ଭବେଶ ଚନ୍ଦ୍ର ରାୟ (୫୮)ଙ୍କ ମୃତଦେହ ଗୁରୁବାର ରାତିରେ ଉଦ୍ଧାର କରାଯାଇଛି। ରାୟ ବାଂଲାଦେଶ ପୂଜା ଉଦ୍ୟୋଗ ପରିଷଦର ବିରାଲ ୟୁନିଟ୍ର ଉପାଧ୍ୟକ୍ଷ ଥିଲେ ଏବଂ ଏହି ଅଞ୍ଚଳରେ ହିନ୍ଦୁ ସମ୍ପ୍ରଦାୟ ମଧ୍ୟରେ ତାଙ୍କର ପ୍ରଭାବ ଥିଲା।