କଂଗ୍ରେସ କର୍ମୀଙ୍କ ଆକ୍ରମଣରେ ୧୨ ଜଣ ପୁଲିସ କର୍ମଚାରୀ ଆହତ

ଲୋୟର ପିଏମଜିରୁ ପିସିସି ସଭାପତି ଭକ୍ତ ଦାସ, ବିଧାୟକ ତାରାବାହିନୀ ପତି ଏବଂ ମହମ୍ମଦ ମୋକିମଙ୍କୁ ଉଠାଇ ନେଇଛି ପୋଲିସ। ମାଜିଷ୍ଟ୍ରେଟଙ୍କ ଅର୍ଡର ପରେ ଏ ପ୍ରକାର ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ସେପଟେ କଂଗ୍ରେସ କର୍ମୀଙ୍କ ପକ୍ଷରୁ ପ୍ରତିବାଦ ଜାରି ରହିଛି। ବଡ଼ ବଡ଼ ନେତାଙ୍କୁ ଗିରଫ କରିବା ଦ୍ୱାରା କର୍ମୀ ଶାନ୍ତ ପଡ଼ିବେ ଓ ଆନ୍ଦୋଳନରୁ ଓହରିବା ନେଇ ପୋଲିସ ଆଶା ରଖିଛି।

ସେପଟେ ନାରୀ ସୁରକ୍ଷା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରି ବିକ୍ଷୋଭ ପ୍ରଦର୍ଶନ କରିଛି କଂଗ୍ରେସ। ବ୍ୟାରିକେଡ୍‌ ଭାଙ୍ଗି ବିଧାନସଭା ଅଭିମୁଖେ ଅଗ୍ରସର ବେଳେ ପୋଲିସ ସହ କଂଗ୍ରେସ ନେତା ଓ କର୍ମୀ ଧସ୍ତାଧସ୍ତି ଓ ଠେଲାପେଲା ହୋଇଥିଲେ। ପୋଲିସ ଉପରକୁ ଚେୟାର ଫିଙ୍ଗିବା ସହ ଟେକାପଥର ଫିଙ୍ଗିଥିଲେ କଂଗ୍ରେସ କର୍ମୀ।

ଲୋୟର ପିଏମଜିରେ ପୁଲିସ-କଂଗ୍ରେସ କର୍ମୀ ମୁହାଁମୁହିଁ ହୋଇଛନ୍ତି। ଏହି କାରଣରୁ ଏଠାରେ ଉତ୍ତେଜନା ଦେଖାଯାଇଛି। ଉତ୍ତେଜନା ପରେ ଭୁବନେଶ୍ୱର ଡିସିପି ଜଗମୋହନ ମୀନା ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ସେ କହିଛନ୍ତି କଂଗ୍ରେସ କର୍ମୀଙ୍କ ଆକ୍ରମଣରେ ୧୨ ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ଆହତ ପୁଲିସ କର୍ମଚାରୀମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ସେମାନଙ୍କର ଚିକିତ୍ସା ଜାରି ରହିଛି। ଗୋଟିଏ ଗାଡ଼ି ପୋଡ଼ିବାକୁ ଉଦ୍ୟମ ହୋଇଛି। ହେଲେ ଡ୍ରାଇଭରଙ୍କ ଯୋଗୁଁ କଂଗ୍ରେସ କର୍ମୀମାନେ ଏପରି କରିପାରିନଥିଲେ।

ଏନେଇ ଘଟଣାର ତଦନ୍ତ କରାଯିବ। ବର୍ତ୍ତମାନ ସ୍ଥିତି ଆୟତ୍ତରେ ଅଛି। ବ୍ୟାରିକେଡ ଭାଙ୍ଗିବାକୁ ଉଦ୍ୟମ କରିବାରୁ କାର୍ଯ୍ୟାନୁଷ୍ଠାନ ହୋଇଛି।ଲୋୟର ପିଏମଜି ରଣକ୍ଷେତ୍ର ପାଲଟି ଥିଲା। ସ୍ଥିତି ପୂରା ଅଣାୟତ୍ତ ହୋଇଥିଲା। ପୁଲିସ-କଂଗ୍ରେସ କର୍ମୀ ମୁହାଁମୁହିଁ ହୋଇଥିଲେ। କିଛି ମାନିନଥିଲେ, କିଛି ଶୁଣିନଥିଲେ କଂଗ୍ରେସ କର୍ମୀ। ଯାହାକୁ ନେଇ ଉତ୍ତେଜନା କମିବାର ନାଁ ନେଉନାହିଁ।

ପୁଲିସ ଉପରକୁ କଂଗ୍ରେସ କର୍ମୀ ଟେକା ପଥର ମାଡ଼ କରିବା ସହ ଚେୟାର ଓ ବୋତଲ ଫିଙ୍ଗିଥିଲେ। ଫଳରେ ବାଧ୍ୟ ହୋଇ ପୁଲିସ ଲାଠିଚାର୍ଜ କରିଥିଲା। ସ୍ଥିତି ଅଣାୟତ୍ତ ହେବାରୁ କଂଗ୍ରେସ କର୍ମୀଙ୍କୁ ଘଉଡ଼ାଇବାକୁ ପୁଲିସ ପ୍ରଥମେ ପାଣିମାଡ଼ କରିଥିଲା ଓ ପରେ ଲୁହବୁହା ଗ୍ରାସ୍‌ ପ୍ରୟୋଗ କରିଥିଲା।

Leave a Reply

Your email address will not be published. Required fields are marked *