ଲାପ୍‌ଟପ୍‌, ସ୍ମାର୍ଟଫୋନ, ‌ଚିପ୍‌ ସମେତ ୨୦ଟି ସାମଗ୍ରୀ ଉପରେ ପାଲଟା ଶୁଳ୍କକୁ ଆମେରିକା ପ୍ରଶାସନ ବାଦ୍‌ ଦେଇଛି

ଟ୍ରମ୍ପ ପ୍ରଶାସନ ଆଜି ଏକ ବଡ଼ ନିଷ୍ପତ୍ତି ନେଇଛି। ଲାପ୍‌ଟପ୍‌, ସ୍ମାର୍ଟଫୋନ, ‌ଚିପ୍‌ ସମେତ ୨୦ଟି ସାମଗ୍ରୀ ଉପରେ ପାଲଟା ଶୁଳ୍କକୁ ଆମେରିକା ପ୍ରଶାସନ ବାଦ୍‌ ଦେଇଛି। ପାଲଟା ଶୁଳ୍କ ଫଳରେ ଆମେରିକାରେ ସାମଗ୍ରୀ ମହଙ୍ଗା ହେବ ବୋଲି ବଡ଼ ବଡ଼ ଆମେରିକୀୟ ପ୍ରଯୁକ୍ତି କମ୍ପାନି ଆଶଙ୍କା ବ୍ୟକ୍ତ କରିବା ପରେ ଟ୍ରମ୍ପ ପ୍ରଶାସନ ଏଭଳି ପଦକ୍ଷେପ ନେଇଛି। ପାଲଟା ଶୁଳ୍କରୁ ୨୦ଟି ସାମଗ୍ରୀକୁ ବାଦ୍‌ ଦିଆଯାଇଛି। ଏଥିରୁ ଅଧିକାଂଶ ସାମଗ୍ରୀ ଆମେରିକାରେ କ୍ବଚିତ୍‌ ଉତ୍ପାଦନ ହୋଇଥାଏ। ଆମେରିକାର ସୀମା ଶୁଳ୍କ ଏବଂ ସୀମା ସୁରକ୍ଷା ବିଭାଗର ଏକ ନୋଟିସ୍‌ ଅନୁଯାୟୀ, ଏହି ଉତ୍ପାଦଗୁଡ଼ିକ ଚୀନ୍ ଉପରେ ଲାଗୁ ହୋଇଥିବା ବର୍ତ୍ତମାନର ୧୪୫ ପ୍ରତିଶତ ଶୁଳ୍କ କିମ୍ବା ଅନ୍ୟ କୌଣସି ଦେଶ ପାଇଁ ଲାଗୁ ୧୦ ପ୍ରତିଶତ ସର୍ବନିମ୍ନ ଶୁଳ୍କ ପରିସରଭୁକ୍ତ ହେବ ନାହିଁ। ଏହା ଆମେରିକାରେ ପ୍ରବେଶ କରୁଥିବା କିମ୍ବା ଏପ୍ରିଲ୍‌ ୫ ତାରିଖ ସୁଦ୍ଧା ଗୋଦାମରୁ ହଟାଯାଇଥିବା ଉତ୍ପାଦଗୁଡ଼ିକ ପାଇଁ ପ୍ରଯୁଜ୍ୟ। ବଡ଼ ପ୍ରଯୁକ୍ତି କମ୍ପାନି ଗୁଡ଼ିକ ଗେଜେଟ୍‌ର ମୂଲ୍ୟ ଆକାଶ ଛୁଆଁ ହେବ ବୋଲି ଚିନ୍ତା ପ୍ରକଟ କରିଥିବାବେଳେ ଏହି ସମୟରେ ଟ୍ରମ୍ପ୍‌ ପ୍ରଶାସନର ଏଭଳି ଘୋଷଣା ନିଶ୍ଚିତ ଭାବେ ଆପଲ୍, ସାମସଙ୍ଗ୍ ଏବଂ ଏନଭିଡିଆ ଭଳି ଚିପ୍ ନିର୍ମାତାଙ୍କୁ ଲାଭ ଦେବ। ତେବେ ନୋଟିସ୍‌ରେ ଟ୍ରମ୍ପ ପ୍ରଶାସନର ଏଭଳି ପଦକ୍ଷେପ ସଂକ୍ରାନ୍ତରେ କୌଣସି ବିସ୍ତୃତ ସୂଚନା ନାହିଁ।

ଏକ ଆମେରିକୀୟ ଏଜେନ୍ସିର ଆକଳନ ଅନୁଯାୟୀ ଆପଲ୍‌ର ଆଇଫୋନ ଉତ୍ପାଦନ ଏବଂ ଆସେମ୍ବଲିର ପ୍ରାୟ ୮୦ ପ୍ରତିଶତ ଚୀନରେ ହୋଇଥାଏ ଏବଂ ବାକି ୨୦ ପ୍ରତିଶତ ଭାରତରେ ତିଆରି ହୋଇଥାଏ। ଟେଲିକମ୍ ଉପକରଣ, ଚିପ୍ ତିଆରି ଯନ୍ତ୍ରପାତି, ରେକର୍ଡିଂ ଡିଭାଇସ୍, ଡାଟା ପ୍ରକ୍ରିୟାକରଣ ମେସିନ୍ ଏବଂ ପ୍ରିଣ୍ଟେଡ୍ ସର୍କିଟ୍ ବୋର୍ଡ ଆସେମ୍ବଲି ଭଳି ଅନ୍ୟାନ୍ୟ ଟେକ୍ନୋଲୋଜି ଉତ୍ପାଦଗୁଡ଼ିକୁ ମଧ୍ୟ ଶୁଳ୍କରୁ ବାଦ୍‌ ଦିଆଯାଇଛି। ବିଶେଷଜ୍ଞମାନେ ସୂଚିତ କରିଛନ୍ତି ଯେ ଏହି ଉତ୍ପାଦଗୁଡ଼ିକର ଘରୋଇ ଉତ୍ପାଦନ ସୁବିଧା ସ୍ଥାପନ କରିବାକୁ ଆମେରିକାକୁ କିଛି ବର୍ଷ ଲାଗିବ।

Leave a Reply

Your email address will not be published. Required fields are marked *