ଘଟଗାଁ ତାରିଣୀ ପୀଠରେ ମା’ଙ୍କ ୮୯ତମ ଚଇତି ପର୍ବ – ସାନ୍ନିଧ୍ୟ ଲାଭ କଲେ ମୁଖ୍ୟମନ୍ତ୍ରୀ

ଘଟଗାଁ ତାରିଣୀ ପୀଠରେ ମା’ଙ୍କ ୮୯ତମ ଚଇତି ପର୍ବର ଷଷ୍ଠ ଦିନରେ ସୋମବାର ମହାବିଷୁବ ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ ଧୂମଧାମରେ ପାଳିତ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଲୋକସଭା ସଦସ୍ୟ ଅନନ୍ତ ନାୟକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଚଇତି ପର୍ବରେ ମା’ଙ୍କ ଦର୍ଶନ କରି ସାନ୍ନିଧ୍ୟ ଲାଭ କରିଥିବା ଦେଖିବାକୁ ମିଳିଛି। ଚଳିତମାସ ୯ ତାରିଖରୁ ମା’ଙ୍କ ପ୍ରସିଦ୍ଧ ଚଇତି ପର୍ବ ଆରମ୍ଭ ହୋଇଥିବାବେଳେ ଏହି ପର୍ବରେ ୭ଦିନବ୍ୟାପୀ ମା’ ଭକ୍ତଙ୍କୁ ପ୍ରତ୍ୟହ ସୁନାବେଶରେ ଦର୍ଶନ ଦେଉଥିବାରୁ ପ୍ରତିଦିନ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେଉଥିବାବେଳେ ଓଡ଼ିଆ ନବବର୍ଷରେ ୪ଗୁଣ ଭକ୍ତଙ୍କ ଭିଡ ପରିଲକ୍ଷିତ ହୋଇଛି। ମା’ଙ୍କ ସୁନାବେଶ ଦେଖି ଭକ୍ତ ଅଭିଭୂତ ହେବାସହ ଏହି ଦର୍ଶନ ପାଇଲେ କୋଟି ପୁଣ୍ୟର ଫଳ ମିଳିଥାଏ ବୋଲି ଲୋକବିଶ୍ୱାସ ରହିଆସିଛି। ପବିତ୍ର ପଣାସଂକ୍ରାନ୍ତିରେ ମା’ଙ୍କ ସାନ୍ନିଧ୍ୟ ଲାଭ କଲେ ବହୁ ପୁଣ୍ୟ ମିଳିବା ସହ ସକଳ ଦୁଃଖ ଦୂର ହୋଇଥାଏ ଏହି ବିଶ୍ୱାସରେ ଜିଲା ଓ ରାଜ୍ୟ ବାହାରୁ ଲକ୍ଷାଧିକ ଭକ୍ତ ସୋମବାର ଭୋରରୁ ଧାଡିବାନ୍ଧି ଶୃଙ୍ଖଳାର ସହ ମା’ଙ୍କୁ ଦର୍ଶନ ସହ ଭୋଗଲାଗି କରିଛନ୍ତି। ମା’ତାରିଣୀଙ୍କ ପ୍ରସିଦ୍ଧ ଚଇତି ପର୍ବ ସାଙ୍ଗକୁ ପଣାସଂକ୍ରାନ୍ତି ଉପଲକ୍ଷେ ଭକ୍ତଙ୍କ ପ୍ରବଳ ଭିଡ଼କୁ ଆଖି ଆଗରେ ରଖି ଭୋର ୪ଟାରୁ ମା’ଙ୍କ ସକାଳ ନୀତି ଶେଷ ପରେ ୫ଟାରୁ ଭକ୍ତଙ୍କୁ ଦର୍ଶନ ପାଇଁ ମନ୍ଦିର ଉନ୍ମୁକ୍ତ ରଖାଯାଇଥିଲା। ଶୃଙ୍ଖଳିତ ଭାବେ ଭକ୍ତଗଣ କିଭଳି ମା’ଙ୍କ ସୁନାବେଶ ଦର୍ଶନ କରିବେ ସେ ନେଇ ମନ୍ଦିର ବେଢ଼ା ଭିତରେ ଓ ବାହାରେ ବ୍ୟାରିକେଡ ନିର୍ମାଣ କରାଯାଇ ପୁଲିସ ବାହିନୀ ସହ ସ୍ୱେଚ୍ଛାସେବୀ ମୁତୟନ କରାଯାଇ ଭକ୍ତଙ୍କୁ ଶୃଙ୍ଖଳିତ ଦର୍ଶନରେ ସହାୟତା କରିଥିଲେ। ମନ୍ଦିର ପରିସରରେ ଭିଡକୁ ଏଡାଇବା ପାଇଁ ଜଣପ୍ରତି ଭକ୍ତଙ୍କୁ ସର୍ବାଧିକ ୨ଟି ନଡ଼ିଆ ମା’ଙ୍କ ନିକଟରେ ଭୋଗଲାଗି ପଦକ୍ଷେପ କିଛିମାତ୍ରାରେ ଭିଡକୁ ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇଥିବା ଦେଖିବାକୁ ମିଳିଥିଲା।

ପଣାସଂକ୍ରାନ୍ତି ଅବସରରେ ମା’ତାରିଣୀ ଠାକୁରାଣୀ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ଭକ୍ତଙ୍କୁ ପଣା ବଣ୍ଟନ କରାଯାଇଥିଲା। ସେହିଭଳି ପ୍ରତିବର୍ଷ ଭଳି ତାରିଣୀ ସେବା ସମିତି ବଣିକ ସଂଘ କେନ୍ଦୁଝର ପକ୍ଷରୁ ଭକ୍ତଙ୍କୁ ଅନ୍ନପ୍ରସାଦ ବଣ୍ଟନ କରାଯାଇଥିଲା। ଶ୍ରୀ ସତ୍ୟସାଇ ସେବା ସମିତି ଓ ପୁରୀ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟଙ୍କ ଗଠିତ ଆଦିତ୍ୟ ବାହିନୀ ସ୍ୱେଛାସେବୀଙ୍କ ଦ୍ୱାରା ମା’ଙ୍କ ଦର୍ଶନ ପାଇଁ ଭକ୍ତଙ୍କୁ ଧାଡିରେ ଶୃଙ୍ଖଳିତ ଭାବେ ଯାତାୟାତର ତଦାରଖ ବ୍ୟବସ୍ଥା ସହ ମନ୍ଦିର ବେଢ଼ା ଭିତରେ ଓ ବାହାରେ ସ୍ୱଚ୍ଛତା କାର୍ଯ୍ୟକ୍ରମ ଗ୍ରହଣ କରାଯାଇଥିଲା। ଏହି ଅବସରରେ ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ଘଟଗାଁ କେନ୍ଦ୍ର ପକ୍ଷରୁ ଚୈତନ୍ୟ ଝାଙ୍କି ପ୍ରଦର୍ଶନ ଏବଂ ଟ୍ରଷ୍ଟ ପକ୍ଷରୁ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଅଖଣ୍ଡ ଭଜନ ସମାରୋହ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ଭକ୍ତଙ୍କୁ ବେଶ୍‌‌ ଆକୃଷ୍ଟ କରିଥିଲା। ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ଫୋର୍ସ ମୁତୟନ କରାଯାଇ ମା’ଙ୍କ ଦର୍ଶନ ପାଇଁ ଦୂରଦୂରାନ୍ତରୁ ଆସୁଥିବା ଭକ୍ତଙ୍କ ଯାନକୁ ୨୦ନଂ ଜାତୀୟ ରାଜପଥର ଉଭୟ ଦିଗରେ ମନ୍ଦିର ପୂର୍ବରୁ ପାର୍କିଂ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରାଯିବା ସହ ଶାନ୍ତିଶୃଙ୍ଖଳା ରକ୍ଷା କରାଯାଇଥିଲା।

Leave a Reply

Your email address will not be published. Required fields are marked *