ୱକଫ୍‌ ଆ‌ଇନକୁ ନେଇ ହିଂସା‌ କାହିଁକି ?

ୱକଫ୍‌ ଆ‌ଇନକୁ ନେଇ ହିଂସା‌ କାହିଁକି ? ଏହି ପ୍ରଶ୍ନ ଏବେ ସବୁଠି । କିଏ ହିଁସା କଲା ତାହାକୁ ନେଇ ମଧ୍ୟ ଭିନ୍ନ ଭିନ୍ନ ମତ ପ୍ରକାଶ ପାଉଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି କହିଛନ୍ତି ଯେ ବିଜେପି ହିଂସା କରିଛି । ତେବେ ବିଜେପି ଏହାକୁ ନେଇ ମମତା ଉପରେ ବର୍ଷିଛି ।

ୱକଫ୍‌ ଆ‌ଇନକୁ ନେଇ ରାଜ୍ୟରେ ହୋଇଥିବା ହିଂସା‌ ଯୋଜନାବଦ୍ଧ ବୋଲି ମମତା କହୁଛନ୍ତି। ରାଜ୍ୟରେ ବିଶୃଙ୍ଖଳା ସୃଷ୍ଟି କରିବାପାଇଁ ବାଂଲାଦେଶୀ ଦୁର୍ବୃତ୍ତଙ୍କୁ ପ୍ରବେଶ ଅନୁମତି ଦେବାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ବିଏସଏଫ୍‌ ଦ୍ବାରା ଏହି ଯୋଜନା ହୋଇଥିବା ମମତା କହିଛନ୍ତି। ତେବେ ଏହି ଅଭିଯୋଗ ଉପରେ ପୋଲିସ କଣ କରୁଛି ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି । ପୋଲିସ ହିଂସାକାରୀଙ୍କୁ ଗିରଫ କରୁନାହିଁ କାହିଁକି ?

କୋଲକାତାରେ ମୁସଲିମ ମୌଲାନାମାନଙ୍କ ସହ ଏକ ବୈଠକରେ ଟିଏମ୍‌ସି ମୁଖ୍ୟ କହିଛନ୍ତି ଯେ ୱକଫ୍‌ ଆଇନ ବିରୋଧୀ ଲଢ଼େଇରେ ତାଙ୍କ ଦଳ ଆଗରେ। ତେବେ ସେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିବାପାଇଁ ଅନୁରୋଧ କରିଛନ୍ତି।

ମମତା କହିଛନ୍ତି, ମୁଁ ପ୍ରଧାନମନ୍ତ୍ରୀଙ୍କୁ ଏହା ଅନୁରୋଧ କରୁଛି ଯେ ସେ ଅମିତ ଶାହଙ୍କୁ ନିୟନ୍ତ୍ରଣରେ ରଖନ୍ତୁ। ଶାହ ନିଜ ରାଜନୈତିକ ସ୍ବାର୍ଥ ପାଇଁ ଦେଶକୁ କ୍ଷତି ପହଞ୍ଚାଉଛନ୍ତି। ଶାହ କେବେ ବି ପ୍ରଧାନମନ୍ତ୍ରୀ ହୋଇପାରିବେନି ବୋଲି ମମତା କହିଛନ୍ତି। ଗୃହମନ୍ତ୍ରୀ କିଭଳି କେନ୍ଦ୍ରୀୟ ସଂସ୍ଥାଗୁଡ଼ିକର ଅପବ୍ୟବହାର କରୁଛନ୍ତି ତାହା ମୋଦୀ ଦେଖିବା ଉଚିତ ବୋଲି ସେ କହିଛନ୍ତି। ତେବେ ମମତାଙ୍କ ଏଭଳି ବୟାନ ରାଜ୍ୟର ଦଙ୍ଗା ପୀଡ଼ିତଙ୍କ ପ୍ରତି ଅପମାନ ବୋଲି ବିଜେପି କହିଛି। ହିଂସା ଓ ଦଙ୍ଗାର ରାଜନୀତିକୁ ପାଥେୟ କରି ଟିଏମ୍‌ସି ନିରୀହ ଲୋକଙ୍କ ଉପରେ ଅତ୍ୟାଚାର ଚଳାଇଥିବା କାହାକୁ ଅଛପା ନାହିଁ ବୋଲି ବିଜେପି କହିଛି।

ହିଂସା ପାଇଁ ମମତା ବିଏସ୍‌ଏଫ୍‌କୁ ଦାୟୀ କରବାକୁ ମଧ୍ୟ ବିଜେପି କଡ଼ା ସମାଲୋଚନା କରିଛି। କେବଳ ତୁଷ୍ଟୀକରଣ ରାଜନୀତି ଓ ଭୋଟ୍‌ବ୍ୟାଙ୍କ ସୁରକ୍ଷିତ ରଖିବା ପାଇଁ ମମତା ଅତି ତଳସ୍ତରର ରାଜନୀତି କରୁଛନ୍ତି ବୋଲି ରାଜ୍ୟ ବିଜେପି ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ ମମତା କହିଥିଲେ ଯେ ପଶ୍ଚିମବଙ୍ଗ ସହ ୨୨୦୦ କିମି ବାଂଲାଦେଶ ସୀମା ସୁରକ୍ଷା ଦାୟିତ୍ବରେ ଥିବା ବିଏସଏଫ୍‌ ଦେଶରେ ଦୁର୍ବୃତ୍ତଙ୍କ ପ୍ରବେଶ ପାଇଁ ଦାୟୀ।

Leave a Reply

Your email address will not be published. Required fields are marked *