ଶ୍ରୀ ଅଦ୍ୱୈତ ଚରଣ ଗଡ଼ନାୟକ ଜଣେ ପ୍ରସିଦ୍ଧ ଭାରତୀୟ ମୂର୍ତ୍ତିଶିଳ୍ପୀ, ଯିଏ କି କଳା ଜଗତରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ଜଣାଶୁଣା। ଅନେକ ଦଶନ୍ଧି ଧରି ଚାଲିଥିବା ତାଙ୍କ କଳାକୃତି ତାଙ୍କୁ ଉଭୟ ଭାରତ ଓ ବିଶ୍ୱସ୍ତରରେ ଖ୍ୟାତି ଅର୍ଜନ କରିଛି । ଭାରତୀୟ ସଂସ୍କୃତି, ଆଧ୍ୟାତ୍ମିକତା ଏବଂ ଐତିହ୍ୟର ଗଭୀରତାକୁ ପ୍ରତିଫଳିତ କରୁଥିବା ମୂର୍ତ୍ତି ନିର୍ମାଣରେ ତାଙ୍କର ଦକ୍ଷତା ପାଇଁ ସେ ବହୁତ ପ୍ରଶଂସିତ ।
ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର ଦେଶର ଜଣେ ବିଶିଷ୍ଟ ନ୍ୟୁରୋ ସର୍ଜନ ଯିଏ କି ସୋଆ (ଡିମଡ୍) ବିଶ୍ବବିଦ୍ୟାଳୟର ଚିକିତ୍ସା ପରାମର୍ଶଦାତା ଭାବରେ କାର୍ଯ୍ୟ କରୁଛନ୍ତି ।୧୯୫୨ ମସିହା ଡିସେମ୍ବର ୨୯ ତାରିଖରେ ପୁରୀରେ ଜନ୍ମଗ୍ରହଣ କରିଥିବା ପ୍ରଫେସର (ଡାକ୍ତର) ମହାପାତ୍ର ୧୯୭୦ ମସିହାରେ ଏମକେସିଜି ମେଡିକାଲ କଲେଜରେ ଯୋଗ ଦେଇ ୧୯୭୫ମସିହାରେ ଏମବିବିଏସ୍ ପାସ୍ କରିଥିଲେ। ସେ ଦିଲ୍ଲୀ ଏମ୍ସରୁ ନ୍ୟୁରୋ ସର୍ଜରୀରେ ଏମଏସ ଏବଂ ଏମସିଏଚ୍ କରିଥିଲେ । ୧୯୮୩ରୁ ୨୦୧୭ ପର୍ଯ୍ୟନ୍ତ ସେ ଦିଲ୍ଲୀ ଏମ୍ସରେ ନ୍ୟୁରୋ ସର୍ଜରୀ ଅଧ୍ୟାପକ ଭାବରେ କାର୍ଯ୍ୟ କରିଥିଲେ । ସେ ୧୯୯୬ ମସିହାରେ ପ୍ରଫେସର ଏବଂ ୨୦୦୪ ମସିହାରେ ଏମ୍ସରେ ବରିଷ୍ଠ ପ୍ରଫେସର ଭାବରେ ଯୋଗ ଦେଇଥିଲେ । ୨୦୦୬ରେ ସେ ଲକ୍ଷ୍ନୌର ସଞ୍ଜୟ ଗାନ୍ଧୀ ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (ଏସଜିପିଜିଆଇ)ର ନିର୍ଦ୍ଦେଶକ ଏବଂ ୨୦୧୨ମସିହାରେ ଏମ୍ସ ଭୁବନେଶ୍ୱରର ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଥିଲେ। ଏମ୍ସ (ଦିଲ୍ଲୀ)ରେ ପ୍ରାୟ ୪୨ ବର୍ଷ ରହିବା ପରେ ସେ ନୂଆଦିଲ୍ଲୀ ଏମ୍ସର ଡିନ୍ ରିସର୍ଚ୍ଚ ଭାବେ ଅବସର ନେଇଥିଲେ। ସେ ଭୁବନେଶ୍ୱରସ୍ଥିତ ଏସଓଏ ବିଶ୍ୱବିଦ୍ୟାଳୟ (ଡିମ୍ଡ ଟୁ ବି ୟୁନିଭର୍ସିଟି)ରେ କୁଳପତି ଭାବରେ କାର୍ଯ୍ୟ କରିଥିଲେ ଏବଂ ଡିସେମ୍ବର ୨୦୨୨ରେ ଅବସର ଗ୍ରହଣ କରିଥିଲେ । ବର୍ତ୍ତମାନ ସେ ଏସଓଏଡିୟୁର ଡାକ୍ତରୀ ପରାମର୍ଶଦାତା ଭାବରେ କାର୍ଯ୍ୟ କରୁଛନ୍ତି ।
ଓଡ଼ିଶୀ ନୃତ୍ୟର ଜଣେ ପ୍ରତିଷ୍ଠିତ ବ୍ୟକ୍ତିତ୍ୱ ଶ୍ରୀ ଦୁର୍ଗା ଚରଣ ରଣବୀର ତାଙ୍କର ଅସାଧାରଣ ନୃତ୍ୟକଳା ପାଇଁ ଜଣାଶୁଣା ଏବଂ ଜଣେ ଗୁରୁ ଭାବରେ ସମ୍ମାନିତ । ଏହି କ୍ଷେତ୍ରର ଅନ୍ୟତମ ବରିଷ୍ଠ ଗୁରୁ ଭାବରେ ତାଙ୍କର ଅନ୍ତର୍ଜାତୀୟ ସ୍ୱୀକୃତି ତାଙ୍କ ଯୋଗ୍ୟତାର ପ୍ରମାଣ । ତାଙ୍କର ଚାରି ଦଶନ୍ଧିର କ୍ୟାରିୟରରେ ସେ ଏହି ନୃତ୍ୟର ପ୍ରଚାର ପ୍ରସାର ପାଇଁ ନିଜକୁ ଉତ୍ସର୍ଗ କରିଥିଲେ ଏବଂ ଜଣେ ନୃତ୍ୟଶିଳ୍ପୀ, ପ୍ରଦର୍ଶକ, ଗୁରୁ ଏବଂ କୋରିଓଗ୍ରାଫର ଭାବରେ କାର୍ଯ୍ୟ କରିଥିଲେ ।